କୁହୁକିନୀ ପରୀ

 

 

 

 

 

 

 

 

 

 

 

କୁହୁକିନୀ ପରୀ

ଶ୍ରୀ ନିର୍ମଳଚନ୍ଦ୍ର ଦାସ

 

ଉପନ୍ୟାସ

 

ନିଛାଟିଆ ବଣରେ ଦିନେ ବୁଲୁ ବୁଲୁ ବୀରବର ବାଟବଣା ହୋଇ ଘୋଡ଼ାଚଢ଼ି ଅଜଣା ପାହାଡ଼ିଆ ଗଡ଼ ଭିତରେ ପହଞ୍ଚିଲେ । ସେତେବେଳକୁ ସନ୍ଧ୍ୟା ହୋଇଆସିଲାଣି । ରାଜକୁମାର ବୀରବର ଭାରି ଭୋକଶୋଷରେ କାତର ହୋଇପଡ଼ିଲେଣି । ଗୋଟାଏ ମିରିଗ ପଛରେ ଗୋଡ଼େଇ ଗୋଡ଼େଇ ସେ ବହୁ ଦୂରକୁ ଚାଲି ଆସିଥିଲେ । ତାଙ୍କ ସାଙ୍ଗସାଥିମାନେ ଡାକେ ବାଟରୁ ଆହୁରି ଦୂରରେ ରହିଲେ । ସେ ଡାକି ଡାକି କିଛି ଜବାବ ପାଇଲେ ନାହିଁ କି ବାଟ ଖୋଜି ଖୋଜି ଅନ୍ଧାର ମାଡ଼ି ଆସିଲା ବାଟ ପାଇଲେ ନାହିଁ । ବଡ଼ ହତାଶ ହୋଇ ଶେଷରେ ଯେତେବେଳେ ସେ ଭକ୍ତ ପାହାଡ଼ି ଗଡ଼ ଦୁଆରେ ପହଞ୍ଚିଲେ ଦେଖନ୍ତି କବାଟ ବନ୍ଦ କେହି ନାହିଁ । କ’ଣ କରିବେ ଘୋଡ଼ା ବାନ୍ଧି ବଡ଼ ପାଟିକରି ଡାକ ପକାଇଲେ, ପଥର କବାଟରେ ତାଙ୍କ ଧନୁ ଓ ବାହୁରେ ଯେତେବଳ ଥିଲା ଆଘାତ କଲେ କିନ୍ତୁ ସବୁ ଯତ୍ନ ନିଷ୍ଫଳ ହେଲା । ତହୁଁ ସେ ଭଗବାନଙ୍କୁ ଆତୁରରେ ଡାକି ହରି ହରିବୋଲ ବସିପଡ଼ିଲେ ସେଇ ମାଟିରେ । ହଠାତ୍ ଦ୍ୱାର ଫିଟିଗଲା ମନକୁ, ଏ କ’ଣ ହରି ମହିମା ଭାବି ରାଜକୁମାର ଭକ୍ତି ଗଦଗଦ କଣ୍ଠରେ କହିଲେ ‘‘ପ୍ରଭୁ ଆଶ୍ରୟ ଦିଅ ଆଜିକ ଏଠି ।’’ ଏତିକି କହି ସେ ଭିତରକୁ ଗଲେ; ଗୋଟିଏ ଉପବନ ପାରିହୋଇ ସେ ଘରଦ୍ୱାର ବାରଣ୍ଡାରେ ପାଦ ଦେଲାକ୍ଷଣି ବହୁନାରୀ ଅର୍ଘ୍ୟ ସାମଗ୍ରୀ ଘେନି ତାଙ୍କୁ ଅଭ୍ୟର୍ଥନା କଲେ । ସେ ପରମ ସନ୍ତୁଷ୍ଟ ହୋଇ ବସିଲେ ସେମାନଙ୍କ ପ୍ରଦତ୍ତ ଦିବ୍ୟ ସୁନା ଚୌକି ଉପରେ । ନାରୀଗଣ ତାଙ୍କ ପାଦଧୌତ କରିବା ପରେ ଫୁଲ, ଚନ୍ଦନ ଓ ଅତରରେ ଜୁଡ଼ୁବୁଡ଼ୁ କରିଦେଲେ ଓ ଦି’ଜଣ ପଙ୍ଖାଧରି ବିଞ୍ଚିବାକୁ ଲାଗିଲେ । ସେ ଟିକିଏ ସୁସ୍ଥ ହେଲାରୁ ଆଉ ଦି’ଜଣ ଆଣି ପିଠା, ମିଠେଇ, କ୍ଷୀରୀ, ଖଜା ଓ ଫଳ ଆଣି ଦେଲେ । ସେ ନିର୍ବିଚାରରେ ପରିଷ୍କାର ପରିଚ୍ଛନ୍ନତା ଦେଖି ଆହାର କଲେ, ତହୁଁ ଜଣେ ସୁନ୍ଦର ମଦ୍ୟ ଓ ଜଳ ଆଣି ଯୋଗାଇ ଦେଲା, ସୁବାସିତ ମଦ୍ୟପାନ ଓ ମୁଖଧୌତ କରି ଅନ୍ୟନାରୀ ପ୍ରଦତ୍ତ ପାନ ଖାଇ ସମସ୍ତ କ୍ଳାନ୍ତି ମୋଚନ କଲେ ।

 

ତହୁଁ ଜଣେ ଷୋଡ଼ଶୀ ସୁନ୍ଦରୀ କମନୀୟ ବୀଣା ନିହିତ ବଚନରେ ତାଙ୍କୁ ପଚାରିଲା ‘‘ହେ ବୀର, ତୁମ ଘର କେଉଁଠି ଓ ଏଠିକି କିପରି ବା କାହିଁକି ଆସିଲ ? ବୀରବର ସଧୀରେ ଉତ୍ତର କଲେ ‘‘ମୁଁ ଆର୍ଯ୍ୟାବର୍ତ୍ତପତି ସତ୍ୟବ୍ରତ ମହାରାଜାଙ୍କ ପୁତ୍ର, ମୋ ନାମ ବୀରବର, ମୁଁ ମୃଗୟା କରୁ କରୁ ବାଟଭୁଲି ଏଠି ଦୈବାତ୍ ପହଞ୍ଚିଲି ଓ ବଡ଼ କଷ୍ଟକର ଅବସ୍ଥାରେ ତୁମମାନଙ୍କ ଅଭ୍ୟର୍ଥନା ପାଇ ବର୍ତ୍ତମାନ ଭାରି କୃତଜ୍ଞତା ସୂତ୍ରରେ ଆବଦ୍ଧ ହେଲି । ଦେବୀଗଣ, ଅନୁଗ୍ରହ କରି ଏ ନାରୀରାଜ୍ୟର ବିବରଣୀ କହି ମୋ କୁତୂହଳ ନିବାରଣ କର । ଉକ୍ତ କିଶୋରୀ ଉତ୍ତର କଲା ‘ବୀର, ଆସିଲ ସତ କିନ୍ତୁ ଏଠା ବିବରଣ ଜାଣିବା ତୁମ ବିଶ୍ୱାସ ସାପେକ୍ଷ୍ୟ, ତେଣୁ ଯଦି ଭଗବାନଙ୍କ ନାଁରେ ଶପଥ କରିବ ଯେ କୌଣସିଠାରେ କାହାରି ଆଗରେ ପ୍ରକାଶ ନ କରିବ ତେବେ କୁହାଯିବ ।’

 

ବୀରବର ବିନୟ ମିଶା କୁତୁହଳରେ କହିଲେ ‘‘ଦେବୀଗଣ, ଭଗବାନଙ୍କ ଶପଥ କରି କହୁଛି ତୁମମାନଙ୍କ ବିଷୟ ଜାଣିଲେ ସୁଦ୍ଧା ମୁଁ ତୁମମାନଙ୍କ ଆଦେଶ ବ୍ୟତିରେକେ ଅନ୍ୟକୁ କହିବି ନାହିଁ ।’ କିଶୋରୀ ଦିବ୍ୟହସରେ ମାଧୁର୍ଯ୍ୟ ଚହଟାଇ କହିଲା ‘‘ବୀରବର, ଏ ମୋର ଗୁପ୍ତ ସାଧନ କ୍ଷେତ୍ର, ମୁଁ ଧର୍ମୋଦ୍ଧାରଣ ବ୍ରତ ଘେନି ଏଠାରେ ଏକାକି ମୋ ସହଚରୀମାନଙ୍କ ସଙ୍ଗେ ରୁହେ । ମୋ ଆବଶ୍ୟକୀୟ ଦ୍ରବ୍ୟରାଶି ଏଇ ଗଡ଼ ମଧ୍ୟରେ ମୁଁ ବହୁଦୂରରୁ କପଟ ବେଶିନୀ ସହଚରୀମାନଙ୍କ ଦ୍ୱାରା ଆଣି ରଖେ । ମୋ ବ୍ରତ କଥା ତ ଶୁଣିଲ । ମୁଁ ସାଧନା ବଳରେ ଗୋଟିଏ ଏପରି ରଥ ପ୍ରସ୍ତୁତ କରୁଛି ଯହିଁରେ ଉଡ଼ି ଯାଇ ହେବ, ତଳେ ଚାଲିହେବ ଓ ପାଣିରେ ମଧ୍ୟ ଚାଲିବ । ଆଉ ମଧ୍ୟ ଏପରି ଅଚ୍ଛେଦ୍ୟ କବଚ ବା ଚର୍ମ ପ୍ରସ୍ତୁତ କରୁଛି ଯାହାକୁ କେହି ଛେଦନ ବା ବିଦ୍ଧ କରିପାରିବେ ନାହିଁ ତେଣୁ ମୁଁ ଗୋପନରେ ରହିଛି, ମୋ ନାମ ଓ ଜନ୍ମ ପରେ ଜାଣିବ ।’ ତମେ ଡାକିଲା ବେଳେ ମୋର ଦ୍ୱାରରକ୍ଷିକା ଗୋପନରେ ତମ ପାଖେ ମାଟିତଳେ ଥିଲା, ତମ କଥାରୁ ଯହୁଁ ଭଗବାନ ବିଷ୍ଣୁଙ୍କ ନାମ ଶୁଣିଲା, ତହୁଁ ଫିଟାଇଦେଲା । କାରଣ ବିଷ୍ଣୁ ଭକ୍ତ ମାତ୍ରେ ସତ୍ୟବାଦୀ ଓ ଧାର୍ମିକ । ସେ କବାଟ ଏପରି ଯନ୍ତ୍ରରେ ଖଞ୍ଜା ହୋଇଛି ଯେ କ୍ଷଣକେ ଉପରକୁ ଉଠିଯିବ ପୁଣି ଇଚ୍ଛାକଲେ ତଳକୁ ଖସି ଆସିବ ୩୦୦ ମହଣ ପଥର ସେ ଖଣ୍ଡି ।’’

 

ରାଜପୁତ୍ର କହିଲେ ‘‘ଦେବୀ, ସତେ ତୁମେ କୌଣସି ସ୍ୱର୍ଗୀୟା ଦେବୀ ଭୂମିର ମଙ୍ଗଳ ପାଇଁ ଅବତୀର୍ଣ୍ଣ ହୋଇଛ । ଧର୍ମର ଏ ଗ୍ଳାନି ସମୟରେ ସମସ୍ତ ପୁରୁଷ ଜାତି ଯେତେବେଳେ ଭୟରେ ନିରବ, ତମେ ଏ ଦୃଢ଼ବ୍ରତ କର୍ମ ଘେନି ସାଧନା ପଥରେ ଅଗ୍ରସର ହେବାକୁ କିପରି ସାହସ କଲ ? ସତୀ, ତମ କଥାରେ ମୋର ଆଗ୍ରହ ଆହୁରି ବଢ଼ୁଛି । ମୁଁ ତମ ଆଦର୍ଶବାଣୀରେ ମୋହିତ ହେଲି ଦୟାକରି ପୂର୍ଣ୍ଣକର ।’’

 

କିଶୋରୀ କହିଲା ‘‘ମୁଁ ମୋର ବାପ ଭାଇ ବନ୍ଧୁବାନ୍ଧବ ସମସ୍ତଙ୍କୁ ଯେତେବେଳେ ଅପବିତ୍ର ଓ ଧର୍ମହୀନ ଦେଖିଲି ମୋ ମନ ବିଦ୍ରୋହୀ ହୋଇଉଠିଲା, ମୁଁ ପଣକଲି ଏମାନଙ୍କୁ ତ୍ୟାଗ କରିବି, ସେଇ ଉଦ୍ଦେଶ୍ୟରେ ମୋ ସହଚରୀମାନଙ୍କୁ ଧର୍ମ ପ୍ରରୋଚନାରେ ଦୃଢ଼ବ୍ରତୀ କଲି । ବହୁ କୌଶଳରେ କପଟ, ଆଦର, ସେବାଦି ଦ୍ୱାରା ମୋହିତ କରି ମୋ ବିଧର୍ମୀ, ଆତ୍ମୀୟ ଓ ବନ୍ଧୁମାନଙ୍କଠାରୁ ବହୁ ଧନସଂଗ୍ରହ କରିପାରିଲି । ମୋ ସହଚରୀମାନେ ସୁଦ୍ଧା ସେହିପରି ଅଭିନୟ ଦେଖାଇ ଅର୍ଥସଂଗ୍ରହ କଲେ । ଦିନେ ସମସ୍ତେ ଏକମେଳ ହୋଇ ତୀର୍ଥଦର୍ଶନ ଛଳରେ ଏଠାରେ ପହଞ୍ଚି ଉପଯୁକ୍ତ ମଣି ଏ ସ୍ଥାନରେ ଗଡ଼ ତିଆରି କଲୁ, ଅବଶ୍ୟ ନିକଟସ୍ଥ ଗ୍ରାମାଦିରୁ ଲୋକବଳର ସାହାଯ୍ୟରେ କିନ୍ତୁ ଧର୍ମଭୀରୁ ଗାଁ ଲୋକେ ମୁଁ ଶପଥ କରାଇଥିବାରୁ ପ୍ରକାଶ କଲେ ନାହିଁ । ଆଉ ଆମର ଜଣେ ଠାକୁର ଅଛନ୍ତି ଯେ ସେ ସବୁ ଗତ, ଭବିଷ୍ୟତ କଥାମାନ ଓ ବିଜ୍ଞାନ କୌଶଳମାନ ସ୍ୱୟଂ ଆମକୁ ବତାଇ ଦିଅନ୍ତି । ସେ ମୂର୍ତ୍ତିଙ୍କୁ ଆମେ ସମସ୍ତେ ଭିନ୍ନ ଭିନ୍ନ କର୍ତ୍ତବ୍ୟ ପାଳନ କରି ସେବା କରୁ । ଆମ୍ଭେମାନେ ସମସ୍ତେ ତାଙ୍କ ଦାସୀ । ସେ କିନ୍ତୁ ବିନା କେହି ସର୍ବସ୍ୱ ଜୀବନ ସୁଦ୍ଧା ତାଙ୍କୁ ନ ଦେଲେ କଥା କହିବେ ନାହିଁ ।’ ବୀରବର ମହା ଭକ୍ତିଭରେ ପ୍ରଣାମ କରି କହିଲେ ‘‘ହେ ଭଗବାନ ତୁମେ କ’ଣ ସତେ ଏଇଠି ଅଛ ? ହେ ଚୋର ଦଗାଦାର କିଏ ତମ ଠକ ପଣିଆ ଅନ୍ତ ପାଇବ । ଦେବୀଗଣ, ମୁଁ ତାଙ୍କ ଦର୍ଶନ ପାଇବି ଟିକେ ? ହେ ଦେବୀ, ମୁଁ ମୋ’ ଜୀବନ ସୁଦ୍ଧା ପଣ କରିବି ଦେବି ଥରେ ମତେ ଦେଖାଟିକିଏ ତାକୁ ନ ହେଲେ ମୁଁ ନ ଛାଡ଼େ ମରିବି ଯେ ଏଇଠି । ଦୟାକର ମା । ତୁମ ବିନା ଆଉ କିଏ ଏଡ଼େ ସୁଯୋଗ ଏ ଅଯୋଗ୍ୟ ଦାସକୁ ଦେଇପାରେ । ମା ଲୋ, କହ-। କହ ମୋତେ କ’ଣ କରିବାକୁ ହେବ । ମୁଁ ଆଜିଠାରୁ ତୋ ପୁଅ ଭୁଲନାହିଁ ମୋ କଥା ସତ୍ୟ-। ହଁ ମା ତିନିଥର ସତ୍ୟକରି କହୁଛି ମୁଁ ମୋର ସର୍ବସ୍ୱ ସମର୍ପଣ କରିବି ।’

 

ଦେବୀ କହିଲେ ‘‘ଯାଅ ତେବେ ତୁମ ପିତାଙ୍କ ନିକଟରୁ ‘‘ତେଜ୍ୟପୁତ୍ର’’ ବୋଲି ପ୍ରମାଣ ସ୍ୱରୂପ ସ୍ୱାକ୍ଷରିତ ଦଲିଲ ଓ ତୁମ ନିଜସ୍ୱ ଯାହା ଧନ ଅଛି ଘେନି ଆସିବ । ନଚେତ୍ କୌଶଳକ୍ରମେ ପିତାଙ୍କ ଧନ ଅପହରଣ କରି ଏଠାରେ ଅର୍ପଣ କରିବ । ଶେଷରେ ନିଜେ ଆସି ଏଠାରେ ମିଳିତ ହେବ ।’’ ‘‘କିନ୍ତୁ ପିତାଙ୍କୁ ମଲା ଗଲା ସମାନ ମଣିବ । ‘‘ଆଉ ସେ ଯଦି ପ୍ରାୟଶ୍ଚିତ ସ୍ୱରୂପ ବର୍ଷକୁ ଖାଇବା ପିନ୍ଧିବାକୁ ରଖି ବାକି ସବୁ ଏଠାରେ ଦେବେ ଓ ଚିର ଜୀବନ ଆଦେଶ ମାନି ଚଳିବେ ତେବେ ଉଦ୍ଧାର ପାଇବେ ।’’

 

ବୀରବର ପିତାଙ୍କ ସ୍ୱଭାବ ଜାଣି ପଛକଥା ଟିକିରେ ଟିକିଏ ଆଶ୍ୱସ୍ତ ହେଲା କାହିଁକି ନା ପିତା ବଡ଼ ଦାନୀ ଏପରିକି ଥରେ ରାଜ୍ୟ ତମାମ ଦାନ କରିବାକୁ ପ୍ରସ୍ତୁତ ଥିଲେ । ଯାହାହେଉ ସେ ରାଜି ହେଲେ । ପୂର୍ଣ୍ଣାତ୍ମା ଭଗବାନଙ୍କୁ ସ୍ମରଣ କରି ପରଦିନ ପ୍ରାତଃକାଳରେ ବୀରବର ବିଦାୟ ଘେନିବା ବେଳେ କହିଲେ ‘‘ମୁଁ ଆସିବି ମା’ ନିଶ୍ଚୟ ।’

 

ସେ ରାଜ୍ୟରେ ଏକ କପଟ ବେଶିନୀ ଉକ୍ତ ଦେବୀଙ୍କ ଦୂତିକାର ସାହାଯ୍ୟରେ ପହଞ୍ଚି ସେ ନାରୀ ହସ୍ତେ ଲକ୍ଷେଟଙ୍କା ଠାକୁର ପୂଜା ପାଇଁ ପଠାଇଦେଲେ । ଦିନେ ଅବସର ବୁଝି ବାପାଙ୍କୁ ଧର୍ମଭୟ ଦେଖାଇ ଉପରୋକ୍ତ ପ୍ରାୟଶ୍ଚିତ ବିଧିରେ ରାଜି କରାଇଲେ । ପିତା ପୁତ୍ର ମହାଗୋପନରେ ମିଳିତ ହୋଇ ଦେବୀଙ୍କୁ ପୂଜା ଦେଇ ଭଗବାନଙ୍କୁ ଦର୍ଶନ କଲେ ଓ କାମ୍ୟ ବର୍ଗ ପ୍ରାପ୍ତ ହେଲେ । ଅଳ୍ପଦିନ ପରେ ଦେବୀଙ୍କ ସହଚରୀମାନଙ୍କ ମଧ୍ୟରୁ ଜଣଙ୍କ ସଙ୍ଗେ ବୀରବରର ବିବାହ ହେଲା । ସେ ତାଙ୍କ ସହଧର୍ମିଣୀଙ୍କ ରୂପ ଗୁଣରେ ମୁଗ୍ଧ ହୋଇଥିଲେ । ଆଉ ମଧ୍ୟ ପିତା ଅବସର ନେବାରୁ ତାଙ୍କୁ ରାଜକାର୍ଯ୍ୟ ଗ୍ରହଣ କରିବାକୁ ହେଲା । ସେ ସହଧର୍ମିଣୀଙ୍କ ଶୁଭପରାମର୍ଶ ବଳରେ ମହା ସୌଭାଗ୍ୟଶାଳୀ ହେଲେ ।

Image